Home     Posts     blognews    

ବିଶ୍ଵ ମାତୃଭାଷା ଦିବସର ଅନୁଚିନ୍ତା

ବିଶ୍ଵ ମାତୃଭାଷା ଦିବସର ଅନୁଚିନ୍ତା

ନବେ ଦଶକର ପ୍ରାରମ୍ଭରୁ, ଯେବେଠୁ କିଟ୍ ଓ କିସ୍ ପ୍ରତିଷ୍ଠା ହେଲା ସେବେଠୁ ବୃତ୍ତିଗତ କାରଣରୁ ହେଉ ଅବା ବ୍ୟକ୍ତିଗତ କାରଣରୁ ମୋତେ ରୀତିମତ ଦେଶବିଦେଶ ବୁଲିବାକୁ ପଡୁଛି। ଏହି କୋଡିଏ ପଚିଶ ବର୍ଷ ଭିତରେ ମୁଁ ବୁଲିଥିବା ଶହେରୁ ଉର୍ଦ୍ଧ୍ଵ ଦେଶରେ ରହୁଥିବା ଅଗଣିତ ଓଡ଼ିଆ ଭାଇ ଭଉଣୀଙ୍କ ସହ ମିଶିବାର ସୁଯୋଗ ପାଇଛି। ସେମାନଙ୍କ ଶ୍ରଦ୍ଧା ଓ ସଦିଛା ମୋତେ ବହୁବାର ଅଭିଭୂତ କରିଛି। ଓଡିଶା ବାହାରେ, ବିଶେଷକରି ବିଦେଶରେ ଯେତେବେଳେ କେହିଜଣେ ଭେଟ ହୋଇ ନିଜ ମାତୃଭାଷାରେ କଥା ହୁଏ, ସେତେବେଳର ଅନୁଭୂତି କେବଳ ଅନୁଭବୀ ହିଁ ଜାଣିଛି !

ତା’ଛଡା, ସାରା ପୃଥିବୀ ବୁଲିଲା ବେଳେ ଯେଉଁ କିଛି ବିଶେଷ ଉପଲବ୍ଧି ମୋତେ ମିଳିଛି, ସେଥି ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ମାତୃଭାଷା ଓ ତାର ବ୍ୟବହାର। ମୁଁ କେଉଁଠି ହେଲେ ଦେଖିନାହିଁ ଯେ’ ସେଠିକାର ସ୍ଥାନୀୟ ବାସିନ୍ଦା ନିଜ ମାତୃଭାଷା ବ୍ୟତୀତ ଅନ୍ୟ କେଉଁ ଭାଷାରେ ଭାବର ଆଦାନପ୍ରଦାନ କରୁଥିବାର! କାରଣ ଏହା ଧ୍ରୁବ ସତ୍ୟ ଯେ, ନିଜ ମାତୃଭାଷାରେ ଭାବପ୍ରକାଶ ବ୍ୟକ୍ତି ଚେତନାକୁ ଯେତେ ସହଜରେ ଆନ୍ଦୋଳିତ କରେ ତାହା ପର ଭାଷା, ବିଦେଶୀ ଭାଷା କିମ୍ବା ବିକୃତ ଭାଷା ଦ୍ଵାରା କଦାପି ସମ୍ଭବ ନୁହେଁ।

ତେବେ ଏଇଠି ପ୍ରଶ୍ନ ଉଠେ, ଯଦି ପୃଥିବୀର ସମସ୍ତେ ନିଜନିଜ ମାତୃଭାଷାରେ କଥା ହେଲାବେଳେ ଗର୍ବ ଅନୁଭବ କରନ୍ତି, ତେବେ ଆମେ କାହିଁକି ନୁହେଁ? ଯଦିଓ, ଓଡ଼ିଆ ଭାଷାକୁ ନେଇ ଗର୍ବ କରିବା ପାଇଁ ଆମ ପାଖରେ ଅସଂଖ୍ୟ କାରଣ ରହିଛି। ଆଉ ଗୋଟେ କଥା, ଓଡ଼ିଆ ଭାଷା ଏବେ କାଳେ ଘୋର ସଙ୍କଟରେ ଅଛି ବୋଲି ବହୁ ଲୋକ ସଂଶୟ ପ୍ରକାଶ କରୁଛନ୍ତି! ଆଉ ଶହେ କି ଦୁଇଶହ ବର୍ଷ ପରେ ଓଡ଼ିଆ ଅକ୍ଷର ଚିହ୍ନିବା ବି ମୁସ୍କିଲ ହୋଇପଡିବ ବୋଲି କିଛି ଲୋକ କୁହାକୁହି ହେଉଛନ୍ତି!

ହେଲେ ମୋର ମତ କିନ୍ତୁ ସଂପୂର୍ଣ୍ଣ ଭିନ୍ନ। ଅବଶ୍ୟ ଓଡ଼ିଆ ଭାଷାର ବ୍ୟବହାର ସାମାନ୍ୟ କମିଯାଇଛି, ହେଲେ ଏହାର ଅର୍ଥ ନୁହେଁ ଯେ ଏହା ସଂପୂର୍ଣ୍ଣ ବିଲୋପ ଆଡକୁ ଗତି କରୁଛି! ମୋର ଦୃଢ ବିଶ୍ଵାସ, ଆମେ ସାଢେଚାରିକୋଟି ଓଡ଼ିଆ, ଯିଏ ଯେଉଁଠି ଅଛୁ, ଯଦି ଓଡ଼ିଆଭାଷାର ପ୍ରଚୁର ବ୍ୟବହାର କରିବା ତେବେ ଆମ ମାତୃଭାଷା କାଳକାଳକୁ ଏମିତି ଅକ୍ଷତ ହୋଇ ରହିଥିବ।

ଆପଣ ଜାଣି ଖୁସିହେବେ ଯେ, କିଟ୍ ଓ କିସ୍ ରେ ଓଡ଼ିଆ ଭାଷାର ବ୍ୟବହାରକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି। କିଟ୍ ଭଳି ଏକ ବିଶ୍ଵସ୍ତରୀୟ ବିଶ୍ୱବିଦ୍ୟାଳୟରେ ବହୁ ଅଣଓଡିଆ ରହୁଥିବାରୁ ଏଠାରେ ବହୁଭାଷୀୟ ଚଳଣି ରହିଆସିଛି। ତଥାପି ଅନୁଷ୍ଠାନର ସମସ୍ତ ଅଣଓଡିଆ କର୍ମଚାରୀଙ୍କୁ ଓଡ଼ିଆଭାଷା ଶିଖିବା ପାଇଁ ନିର୍ଦ୍ଦେଶ ରହିଛି।

ଆମ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏହା ସାମାନ୍ୟ ଏକ ପ୍ରୟାସଟିଏ ମାତ୍ର। ଆସନ୍ତୁ ମିଳିମିଶି ଆମ ମାତୃଭାଷାର ପ୍ରବଳ ପ୍ରୟୋଗ ସହ ପ୍ରଚାର ପ୍ରସାର କରିବା। ଏହାର ସଙ୍କଟକୁ ନେଇ ଯେଉଁ ସଂଶୟ ଜାତ ହୋଇଛି ତାକୁ ଅମୂଳକ ବୋଲି ପ୍ରମାଣିତ କରିଦେବା !

କେବଳ ଓଡ଼ିଆ ନୁହେଁ, ପ୍ରତ୍ୟକ ବ୍ୟକ୍ତି ଯେମିତି ନିଜ ନିଜ ମାତୃଭାଷାରେ କଥୋପକଥନ ସହ ନିଜ ମାତୃଭାଷାର ବିକାଶରେ ସାମିଲ ହୋଇପାରିବ ସେଥିପାଇଁ ମଧ୍ୟ ଆମେ ସର୍ବଦା ଚେଷ୍ଟାକରି ଆସିଛୁ।

ଆପଣ ବିଶ୍ଵର ସର୍ବବୃହତ ଆବାସିକ ଆଦିବାସୀ ଶିକ୍ଷାନୁଷ୍ଠାନ ତଥା ବିଶ୍ଵର ସର୍ବପ୍ରଥମ ଓ ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ, “କିସ୍ ବିଶ୍ୱବିଦ୍ୟାଳୟ” ବାବଦରେ ନିଶ୍ଚିତ ଅବଗତ ଥିବେ। କିସ୍ ଏମିତି ଏକ ଅନୁଷ୍ଠାନ ଯେଉଁଠି ପ୍ରଥମରୁ ସ୍ନାତକୋତ୍ତର ଶ୍ରେଣୀରେ ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି।

ଓଡ଼ିଶାର ତଥା ପଡ଼ୋଶୀ ରାଜ୍ୟର ଏମିତି କୌଣସି ଜନଜାତି ସମ୍ପ୍ରଦାୟ ନାହିଁ ଯେଉଁ ସମ୍ପ୍ରଦାୟର ଛାତ୍ରଛାତ୍ରୀ କିସ୍ ରେ ପାଠ ପଢୁ ନଥିବେ! କହିବ ବାହୁଲ୍ୟ, ପ୍ରତ୍ୟକ ଜନଜାତି ନିଜଶ୍ଵ ଭାଷା, ସଂସ୍କୃତି, ଚଳଣି ତଥା ବେଶଭୁଷାକୁ ନେଇ ସ୍ଵତନ୍ତ୍ର। ଅର୍ଥାତ, ଯେତେ ସମ୍ପ୍ରଦାୟ, ସେତେ ଭାଷା!

ଯଦିଓ, କିସ୍ ଠାରେ ଶିକ୍ଷାଦାନର ପ୍ରମୁଖ ମାଧ୍ୟମ ଓଡ଼ିଆ ଏବଂ ଇଂରାଜୀ ରହିଛି, ତେବେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ନିଜ ମାତୃଭାଷାରେ ଶିକ୍ଷା ଦିଆଯାଇଥାଏ। କାରଣ, ଆମେ ହୃଦୟଙ୍ଗମ କରୁ, ନିଜ ମାତୃଭାଷାରେ ଶିକ୍ଷାଗ୍ରହଣ କରିବା ଦ୍ଵାରା ଯେଉଁ ପରିମାଣରେ ଛାତ୍ରଛାତ୍ରୀଙ୍କ ମାନସିକ ତଥା ବୌଦ୍ଧିକ ବିକାଶ ଘଟେ ସେହି ପରିମାଣରେ ଅନ୍ୟଭାଷା କିମ୍ବା ପରଭାଷାରେ ଘଟିବା ଏକପ୍ରକାର ଅସମ୍ଭବ।

ପ୍ରତ୍ୟକ ଜନଜାତିର ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ଶିକ୍ଷାଦାନ ଏକ ଦୁରୂହ ବ୍ୟାପାର ନିଶ୍ଚିତ! କ୍ରମଶଃ, ବିଲୁପ୍ତ ହେବାକୁ ବସିଥିବା ଅନେକ ଜନଜାତିର ଛାତ୍ରଛାତ୍ରୀ ଏଠାରେ ପାଠପଢନ୍ତି। ଏଠି ଅନେକ ଛାତ୍ରଛାତ୍ରୀ ବି ଅଛନ୍ତି ଯେଉଁମାନେ ତାଙ୍କ ସମ୍ପ୍ରଦାୟର ପ୍ରଥମ ପିଢୀର ଛାତ୍ର କିମ୍ବା ଛାତ୍ରୀ। ଅର୍ଥାତ ଏହା ପୂର୍ବରୁ ତାଙ୍କ ସମ୍ପ୍ରଦାୟର କେହି ଜଣେ ହେଲେ ବ୍ୟକ୍ତି ସ୍କୁଲ ମାଟି ମାଡି ନଥିବ। ଏମିତି ପରିପ୍ରେକ୍ଷୀରେ ତାଙ୍କ ମାତୃଭାଷା ଜାଣି ସେଥିରେ ତାଙ୍କୁ ପାଠ ପଢାଇବା କେତେ କଷ୍ଟସାଧ୍ୟ ସହଜରେ ଅନୁମେୟ। ହେଲେ କିସ୍ ରେ ସମସ୍ତ ଅସାଧ୍ୟକୁ ସାଧନ କରିବାକୁ ଆମେ ଦିନରାତି ପ୍ରଚେଷ୍ଠାରତ।

ଶେଷରେ, ଆପଣଙ୍କୁ ବିଶ୍ଵ ମାତୃଭାଷା ଦିବସର ଅଜଶ୍ର ଶୁଭକାମନା! ମାତୃଭାଷାର ଜୟ ହେଉ! ଓଡ଼ିଆର ଜୟ ହେଉ!